ସ୍ୱପ୍ନକୁ ସତ ଭାବି ପତ୍ନୀକୁ ହତ୍ୟା ଉଦ୍ୟମ କରିଲା ସ୍ୱାମୀ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ବ୍ରାଜିଲର ପ୍ଲେନେଲଟିନା ଠାରେ ଏଭଳି ଏକ ଘଟଣା ଘଟିଯାଇଛି। ସ୍ତ୍ରୀ ପରପୁରୁଷ ସହିତ ସମ୍ପର୍କ ରଖିଥିବା ନେଇ ଅଭିଯୁକ୍ତ ବ୍ୟକ୍ତି ଜଣକ ସ୍ୱପ୍ନ ଦେଖିଥିଲେ। ସ୍ୱପ୍ନକୁ ସତ ଭାବି ସେ ନିଜ ସ୍ତ୍ରୀର ବେକ ଏବଂ ହାତକୁ ଛୁରୀରେ ଆଘାତ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ୩୬ ବର୍ଷୀୟ ଯୁବକ ଜଣକ ସ୍ୱପ୍ନରେ ସ୍ତ୍ରୀକୁ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ରଖୁଥିବାର ଦେଖିଥିଲେ। ଶୋଇକରି ଉଠିବା ପରେ ଏହି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ସ୍ତ୍ରୀ ଶୋଇପଡିବା ପରେ ଅଭିଯୁକ୍ତ ହତ୍ୟା ଉଦ୍ୟମ କରିଥିଲା।
ସେ ଶୋଇଥିବା ସ୍ତ୍ରୀର ବେକ ଏବଂ ହାତ ଉପରେ ଛୁରାମାଡ଼ କରିଥିଲା। ତେବେ, ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ସୌଭାଗ୍ୟବଶତଃ ମହିଳା ଜଣଙ୍କ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ଜଣାପଡିଛି। ତେବେ, ଦୀର୍ଘ ୫ ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।