ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ଘୋଷିତ ଭାରତୀୟ ଦଳରେ ଯୁବ ଉଇକେଟ୍କିପର ରିଷଭ ପନ୍ତଙ୍କୁ ସ୍ଥାନ ନ ମିଳିବା ନେଇ ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଭଲ ବ୍ୟାଟିଂ ଫର୍ମ ଓ ଉଇକେଟ୍ ରକ୍ଷଣରେ ଉନ୍ନତି କରୁଥିବା ସତ୍ତ୍ୱେ ପନ୍ତଙ୍କ ସ୍ଥାନରେ ଅଭିଜ୍ଞତା ଦୃଷ୍ଟିରୁ ୩୩ ବର୍ଷୀୟ ଦୀନେଶ କାର୍ତ୍ତିକଙ୍କୁ ବିଶ୍ୱକପ୍ ଟିକେଟ୍ ମିଳିଛି ।

ମାତ୍ର କାର୍ତ୍ତିକ ମଧ୍ୟ ଜଣେ ଶ୍ରେଷ୍ଠ ଉଇକେଟ୍କିପର ବୋଲି ଗାଭାସ୍କର ଏକ ସାକ୍ଷାତକାର ଅବସରରେ କହିଛନ୍ତି । ‘ପନ୍ତଙ୍କ ଫର୍ମକୁ ଦେଖିଲେ ଏହି ନିଷ୍ପତ୍ତି ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଛି। ସେ କେବଳ ଆଇପିଏଲ୍ ନୁହେଁ ଏଥିପୂର୍ବରୁ ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରିସାରିଛନ୍ତି ।

ସେହିଭଳି ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ ଟପ୍-୬ରେ ବୋଲରଙ୍କୁ ଅଡ଼ୁଆରେ ପକାଇବାର ବିକଳ୍ପ ମଧ୍ୟ ରହିଛି’ ବୋଲି ଗାଭାସ୍କର କହିଛନ୍ତି । ଚଳିତ ଆଇପିଏଲ୍ରେ କାର୍ତ୍ତିକ (୧୧୧ ରନ)ଙ୍କ ଅପେକ୍ଷା ପନ୍ତ (୨୪୫)ଙ୍କ ବ୍ୟାଟିଂ ଭଲ ରହିଥିଲେ ମଧ୍ୟ ତାଙ୍କୁ ବାଦ୍ ଦିଆଯିବାର ଯଥାର୍ଥତା ରହିଛି ବୋଲି ଗାଭାସ୍କର ଏକ ଜାତୀୟ ଖବରକାଗଜକୁ ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି ।

ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ରେ ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି । ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ,ବିଜୟ ଶଙ୍କର, କେ.ଏଲ୍ ରାହୁଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ୍ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ୍ ବୁମରା ଏବଂ ରବୀନ୍ଦ୍ର ଜାଡେଜା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍ ଜୁଲାଇ ୧୪ ଯାଏଁ ଚାଲିବ ।