ଅଷ୍ଟ୍ରେଲିଆ ର ଖେଳାଳି ଟର୍ନର ଙ୍କ ବିସ୍ଫୋଟକ ଖେଳ ଭାରତ ନିକଟରୁ ବିଜୟ ଛଡ଼ାଇ ନେଲା। ଭାରତର ୩୫୮ ରନ୍କୁ ୧୩ ବଲ୍ ପୂର୍ବରୁ ପଛରେ ପକାଇ ଅଷ୍ଟ୍ରେଲିଆ ମଧ୍ୟ ନିଜ ଦିନିକିଆ ଇତିହାସରେ ସର୍ବୋଚ୍ଚ ପଶ୍ଚାତଧାବନ ଲକ୍ଷ୍ୟରେ ସଫଳ ହୋଇଗଲା। ଏଥି ସହିତ ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ବି ୨-୨ ସ୍ତରକୁ ଚାଲି ଆସିଛି। ପଞ୍ଚମ ତଥା ନିର୍ଣ୍ଣାୟକ ଶେଷ ଦିନିକିଆ ନୂଆଦିଲ୍ଲୀରେ ବୁଧବାର ଖେଳାଯିବ। ରବିବାର ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୪ ପରିବର୍ତନ ସହିତ ଭାରତ ପଡ଼ିଆକୁ ଓହ୍ଲାଇଥିଲା।
ମହେନ୍ଦ୍ର ସିଂହ ଧୋନି, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା ଏବଂ ମହମ୍ମଦ ସାମିଙ୍କ ବଦଳରେ ଯଥାକ୍ରମେ ଋଷବ ପନ୍ତ୍, ଲୋକେଶ ରାହୁଲ, ୟୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ବର କୁମାର ଚୂଡ଼ାନ୍ତ ଏକାଦଶକୁ ଆସିଥିଲେ। ଉଭୟ ରୋହିତ-ଧାୱନ ୧୦୨ତମ ଥର ଏକତ୍ର ପାଳି ଆରମ୍ଭ କରି ୧୬ତମ ଥର ପାଇଁ ଶତକୀୟ ଭାଗୀଦାରି କରିଥିଲେ। ରୋହିତ ଶର୍ମାଙ୍କୁ ରିଚାର୍ଡସନ ଏବଂ ଧାୱନଙ୍କୁ କମିନ୍ସ ଆଉଟ୍ କରିଥିଲେ। ଏହା ପରେ ଦଳକୁ ଫେରିଥିବା ଲୋକେଶ ରାହୁଲ (୨୬, ୩୧ ବଲ୍) ଭଲ ଆରମ୍ଭରୁ ଫାଇଦା ଉଠାଇ ପାରିନଥିଲେ। ରାହୁଲଙ୍କୁ ବାଟ ଛାଡ଼ି ୩ ପରିବର୍ତେ ୪ ନମ୍ବରରେ ଆସିଥିବା କୋହଲି ନିଜର ବିଗତ ୩୧ ପାଳିରେ ଦୁତୀୟ ଥର ଦୁଇ ଅଙ୍କ ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରେ ଯୁବ ତାରକା ଋଷବ ପନ୍ତ୍ ନିଜର ଶ୍ରେଷ୍ଠ ଦିନିକିଆ ପାଳି ଖେଳି ଦଳର ରନ୍ ଗତି ବଢ଼ାଇବାରେ ସଫଳ ହୋଇଥିଲା।
ବୁମ୍ରା ଏକମାତ୍ର ବଲ୍କୁ ଛକା ମାରିଥିଲେ ଯାହାକି ତାଙ୍କ ଖେଳ ଜୀବନର ପ୍ରଥମ ଥିଲା। ଜବାବରେ ଅଷ୍ଟ୍ରେଲିଆକୁ ପ୍ରଥମରୁ ଯୁଗଳ ଝଟ୍କା ଲାଗିଥିଲା। ପ୍ରଥମ ଓଭରରେ ଆରୋନ୍ ଫିଞ୍ଚ୍ଙ୍କୁ ଭୁବନେଶ୍ବର କୁମାର ଖାତା ଖୋଲିବାକୁ ଦେଇନଥିଲେ। ସନ୍ ମାର୍ସ ଙ୍କୁ ବୁମରା ଚତୁର୍ଥ ଓଭରରେ ବୋଲ୍ଡ କରି ଦେଇଥିଲେ। ଅଷ୍ଟ୍ରେଲିଆ ୧୨/୨ରେ ସଂଘର୍ଷ କରିଥିଲା। ଏହି ସମୟରେ ଏକାଠି ହୋଇଥିବା ହ୍ୟାଣ୍ଡସ୍କମ୍ବ୍ ଏବଂ ଉସ୍ମାନ ଖୱାଜା ତୃତୀୟ ୱିକେଟ୍ ପାଇଁ ୧୯୨ ରନ୍ ଯୋଡ଼ିଥିଲେ। ଖୱାଜା ଙ୍କୁ ବୁମ୍ରା ଲଗାତାର ଶତକରୁ ବଞ୍ଚିତ କରିଥିଲେ। ବିସ୍ଫୋରକ ଆରମ୍ଭ କରିଥିବା ମ୍ୟାକ୍ସୱେଲ ଙ୍କୁ କୁଲଦୀପ ଆଉଟ୍ କରିଥିଲେ। ହ୍ୟାଣ୍ଡସ୍କମ୍ବ୍ ଙ୍କ ପାଳିକୁ ଚହଲ ରୋକିଥିଲେ। କିନ୍ତୁ ଆଷ୍ଟନ୍ ଟର୍ନର ଏବଂ ଆଲେକ୍ସ କେରି ୩୯ ବଲ୍ରୁ ୮୬ ରନ୍ ଯୋଡ଼ି ଭାରତ ହାତରୁ ବିଜୟକୁ ଛଡ଼ାଇ ନେଇଥିଲେ।
ଏହି ମ୍ୟାଚ ରେ ଋଷଭ ପଂଥ ଙ୍କ ଏକାଧିକ କ୍ୟାଚ୍ ଓ ଷ୍ଟମ୍ପିଂ ଛାଡ଼ିବା ସହିତ ଡେଥ୍ ଓଭରରେ ବୁମରା-ଭୁବନେଶ୍ବର କୁମାର ବିଫଳ ହେବା ଭାରତକୁ ବିଜୟରୁ ବଞ୍ଚିତ ରଖିଥିଲା। ବିଶ୍ୱ କପ ପୂର୍ବରୁ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଟିମ ଦେଖାଇ ଦେଇଛି ଯେ ବିଶ୍ୱ କପ ରେ ସେ ବି କାହା ଠାରୁ କାମ ନୁହଁ।