କେନ୍ଦ୍ରାପଡାରେ ୨୦୧୯ ନିର୍ବାଚନ: ଶଙ୍ଖ, ପଦ୍ମ ନା ଏ ଥର ହାତ? କହିବା ବହୁତ ମୁସ୍କିଲ…

ବର୍ତମାନ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ରେ କିଛି ପରିବର୍ତନ ହୋଇପାରେ ବୋଲି ଜନ୍ନ ପଡୁଛି । ବିଜୁ ବାବୁଙ୍କର କର୍ମଭୂମି କୁହାଯାଉଥିବା କେନ୍ଦ୍ରପଡା ଆସନରେ ଚଳିତ ଥର ବିଗ୍ ଫାଇଟ୍ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଖାସକରି ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ରାପଡା ରାଜନୀତିରେ ଅନେକ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡି ବିଜେପି ଶିବିରକୁ ଏଣ୍ଟ୍ରି କରିଛନ୍ତି ଅନ୍ୟପଟେ ବିଜେପି ଶିବିରରୁ ମୁହଁ ଫେରାଇ ଆଣିଛନ୍ତି ଭେଟରାନ ନେତା ବିଜୟ ମହାପାତ୍ର । ଏବେ ଠାରୁ କେନ୍ଦ୍ରାପଡା ରେ କିଏ ଜିତିବ କହିବା ମୂର୍ଖାମୀ ହେବ ।

ପାଖାପାଖି ଗତ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଅଣକଂଗ୍ରେସ ଗଡର ଟ୍ୟାଗ୍ ହାସଲ କରିଛି କେନ୍ଦ୍ରାପଡା । ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟରେ ବେଦପ୍ରକାଶ ଅଗ୍ରୱାଲ ଏଠାରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଥିଲେ । ତେବେ ୨୦୦୪ରେ ବେଦପ୍ରକାଶଙ୍କୁ ଓଜିପି ପ୍ରାର୍ଥୀ ଉତ୍କଳ କେଶରୀ ପରିଡା ପରାଜିତ କରିଥିଲେ । ତେବେ ୨୦୦୯ ମସିହାରେ ଏହି ଆସନଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହେବା ପରେ ଏହାକୁ ଗଡ ଭାବେ ଗଢି ତୋଳିଛି ବିଜେଡି । ୨୦୦୯ରେ ସିପ୍ରା ମଲ୍ଲିକ ଓ ୨୦୧୪ରେ କିଶୋର ଚନ୍ଦ୍ର ତରାଇ କଂଗ୍ରେସର ହେଭିୱେଟ ନେତା ଗଣେଶ୍ୱର ବେହେରାଙ୍କୁ ହରାଇ ସବୁଜ ବାନା ଉଡାଇଥିଲେ । ଏସବୁ ଭିତରେ ଲଗାତାର ଦୁଇଥର ବିଜୟ ହାସଲ କରିଥିବା ବିଜେଡି ଚଳିତ ନିର୍ବାଚନ ଜିତି ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ରହିଛି ।

ତେବେ ବିଜେଡିକୁ ହ୍ୟାଟ୍ରିକ ବିଜୟ ଦେବା ପାଇଁ ବର୍ତ୍ତମାନ ବିଧାୟକ ଥିବା କିଶୋର ଚନ୍ଦ୍ର ତରାଇ ଅଣ୍ଟା ଭିଡିଛନ୍ତି । ପୁଣିଥରେ ଟିକେଟ ଆଶାୟୀ ଧାଡିରେ କିଶୋର ପ୍ରଥମ ସ୍ଥାନରେ ରହିଥିବା ଚର୍ଚ୍ଚା ହେଉଛି । ତେବେ ପଞ୍ଚାୟତ ନିର୍ବାଚନରେ ପତ୍ନୀଙ୍କ ପ୍ରାର୍ଥୀପତ୍ର ବିବାଦରେ ଫଶିବା, କିଶୋରଙ୍କ ରାଜନୈତିକ କ୍ୟାରିୟରରେ ଏକ ବ୍ଲାକସ୍ପଟ ହୋଇ ରହିଥିବା ବେଳେ ଏହା ତାଙ୍କ ଟିକେଟ ପାଇବା ବାଟରେ ଲକ୍ଷ୍ମଣରେଖା ସାଜି ଛିଡା ହୋଇପାରେ । ତେଣୁ ବିଜେଡି ଏଠାରେ କାହାକୁ ଟିକେଟ ଦେବ ତାହା ଜାଣିବା ପାଇଁ ଭୋଟରଙ୍କ ମଧ୍ୟରେ ଉକ୍ରଣ୍ଠା ବଢିଚାଲିଛି । କାରଣ ନବୀନଙ୍କ ଲୋକପ୍ରିୟତା ସହ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ହିଁ ଏଠାରେ ବିଜେଡିକୁ ବଡ ବିଜୟ ଦେଇପାରିବ । କାରଣ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘ ୧୯ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିଥିବା ବେଳେ ବିବାଦରେ ଫଶି ରହିଥିବା ନେତାଙ୍କୁ ଦଳ ଟିକେଟ ଦେଇ ରିସ୍କ ନେଇ ନପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply