ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍! ଏହାକୁ ନେଇ ରାଜ୍ୟର ସମସ୍ତ ଗାଡ଼ି ଚାଳକ ଏବଂ ମାଲିକମାନଙ୍କ ମନରେ ଚିନ୍ତା। ନୂଆ ନମ୍ବର ପ୍ଲେଟ ଲଗାଇବା ପାଇଁ ଦିନ ଯେତିକି ପାଖେଇ ଆସୁଛି, ସାଧାରଣ ଲୋକଙ୍କ ମନରେ ଚିନ୍ତା ସେତିକି ବଢ଼ିବାରେ ଲାଗିଛି। ତେବେ, ଏହି ନମ୍ବର ପ୍ଲେଟ ବଦଳାଇବା କ’ଣ ଏତେ ଜରୁରୀ? ଏହାକୁ ନେଇ ବିଭିନ୍ନ ମହଲରେ ତର୍କ ବିତର୍କ ଜାରି ରହିଛି।
ଅନେକେ ଏହି ନିୟମକୁ ବିରୋଧ କରିବା ସହିତ ସରକାରଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ କରୁଛନ୍ତି। ଏପରିକି ଖୋଦ୍ ହାଇକୋର୍ଟ ମଧ୍ୟ ଏଥିନେଇ ପରିବହନ ବିଭାଗକୁ ଜବାବ୍ ମାଗିଛନ୍ତି। କିନ୍ତୁ, ନମ୍ବର ପ୍ଲେଟ ନ ବଦଳାଇଲେ ଅକ୍ଟୋବର ପହିଲାରୁ ଫାଇନ୍ ଆଦାୟ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତଙ୍କ ମନରେ ଛନକା ପସିଛି।
ଏହାରି ଭିତରେ ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ଟ୍ୱିଟ ମଧ୍ୟ ସାମ୍ନାକୁ ଆସିଛି। ସେ ଏପରି ନିୟମକୁ ବିରୋଧ କରିବା ସହିତ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ,ଏପରି ବ୍ୟବସ୍ଥା ଏକ ଜୋକ। ଯଦି ଗାଡ଼ି ଚୋରି ହୋଇଯିବ ତେବେ ସରକାର ତାକୁ ଖୋଜି ଆଣିଦେବେ କି? ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଆଦାୟ କରିବାର ଏହା ଏକ ନୂଆ ଉପାୟ ବୋଲି ସେ କହିଛନ୍ତି।