ଅନଲାଇନ୍ ମଗାଇଥିଲେ ଲ୍ୟାପଟପ୍, ଆସିଲା ଲୁଗା ସଫା ସାବୁନ୍! ଆଉ ତାପରେ ଜାଣନ୍ତୁ ପୂରା ଘଟଣା

ଏବେ ଚାଲିଛି ପାର୍ବଣ ଋତୁ। ଏହି ସମୟରେ ସପିଙ୍ଗ ମଲ୍ ଠାରୁ ଆରମ୍ଭ କରି ଅନଲାଇନ୍ ସପିଙ୍ଗ ସାଇଟ୍ ପର୍ଯ୍ୟନ୍ତ ସବୁଠାରେ ରିହାତି ଏବଂ ଅଫର୍ ଚାଲିଛି। ଖାସ୍ କରି ଅନଲାଇନ ସପିଙ୍ଗ ୱେବସାଇଟ ଗୁଡିକରେ ଚାଲୁଥିବା ଭାରି ରିହାତି ଗୁଡିକ ଲୋକଙ୍କୁ ଖୁବ ପସନ୍ଦ ଆସୁଛି। ତେବେ, ଏହାରି ଭିତରେ ଏକ ଜଣାଶୁଣା ସପିଙ୍ଗ ୱେବସାଇଟ୍ ଦ୍ୱାରା ହୋଇଥିବା ଠକେଇ ସାମ୍ନାକୁ ଆସିଛି।

ଅହମଦାବାଦ IIM ରେ ପଢ଼ୁଥିବା ଜଣେ ଯୁବକ ଏହି ଠକମିର ଶିକାର ହୋଇଛନ୍ତି। ପ୍ରକୃତରେ ସେ ସପିଙ୍ଗ ୱେବସାଇଟ୍ ଫ୍ଲିପକାର୍ଟରୁ ଏକ ଲ୍ୟାପଟପ୍ ଅର୍ଡର କରିଥିଲେ। ଅର୍ଡରଟି ଠିକ ସମୟରେ ଘରେ ମଧ୍ୟ ପହଞ୍ଚିଥିଲା କିନ୍ତୁ ପାର୍ସଲ ଖୋଲିବା ବେଳକୁ ତା ଭିତରେ ଲ୍ୟାପଟପ୍ ବଦଳରେ ତିନିଟି ଡିଟରଜେଣ୍ଟ ସାବୁନ ରହିଥିଲା। ସବୁଠାରୁ ବଡ଼ କଥା ହେଉଛି ଏଥିନେଇ ଯୁବକ ଜଣକ ଅଭିଯୋଗ କରିଥିଲେ ହେଁ ତାହାର କୌଣସି ପ୍ରକାର ସମାଧାନ କରି ହେବନାହିଁ ବୋଲି ଫ୍ଲିପକାର୍ଟ ଦ୍ୱାରା କୁହାଯାଇଛି।

ମିଳିଥିବା ସୂଚନା ଅନୁଯାଇ ଯୁବକଙ୍କ ବାପା ଏହି ପାର୍ସଲଟିକୁ ଗ୍ରହଣ କରିଥିଲେ। କିନ୍ତୁ, ପାର୍ସଲର OTP ଦେବା ସମୟରେ ତାଙ୍କୁ ଜିନିଷ ଠିକ ଅଛି କି ନାହିଁ ତାହା ଦେଖିନେଵାର ଥିଲା ଯାହା ସେ କରିନଥିଲେ। ଏହି ଘଟଣାର ଫାଇଦା ଉଠାଇ ଫ୍ଲିପକାର୍ଟ ପକ୍ଷରୁ ଘଟଣାର କୌଣସି ସମାଧାନ ହୋଇପାରିବ ନାହିଁ ବୋଲି ସଫା ସଫା କୁହାଯାଇଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ସେ ଗ୍ରାହକ ଫୋରମରେ ଅଭିଯୋଗ କରିବେ ବୋଲି ଯୁବକ ଜଣକ ସୂଚନା ଦେଇଛନ୍ତି।

Leave a Reply