ଦୀର୍ଘ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି ଫାଶୀ ପାଇଁ ୩ ଥର ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଥିଲେ ବି ଏହା ପୁଣି ଘୁଞ୍ଚି ଯାଇଥିଲା, ଏହା ପୂର୍ବରୁ ଜାନୁୟାରୀ ୨୨ , ଫରିବୁଆରି ୧,ଓ ମାର୍ଚ୍ଚ ୩ ତାରିଖରେ ଡେଥ୍ ଓ୍ବାରେଣ୍ଟ ଜାରି ହୋଇ ବାତିଲ ହୋଇଯାଇଥିଲା । ତିହାର ଜେଲ ପରିସରରେ ଏମାନଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦିଆଯିବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଚାରି ଜଣ ଙ୍କ ମଧ୍ୟରୁ ତିନିଜଣ ବର୍ତ୍ତମାନ ଫାଶୀ ଦେବା ଆଦେଶକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ନିକଟରେ ପହଞ୍ଚିଥିଲେ ।

ଅନ୍ତର୍ଜାତୀୟ ନ୍ୟାୟାଳୟ ନିକଟକୁ ଆସିଥିବା ତିନିଜଣ ଦୋଷୀ ହେଉଛନ୍ତି ଅକ୍ଷୟ, ପୱନ ଏବଂ ବିନୟ। ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟ ଦୋଷୀ ମୁକେଶ ସିଂହଙ୍କ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁକେଶ ପୁଣି ଥରେ କ୍ୟୁରେଟିଭ୍ ପିଟିଶନ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟର ଅନୁମତି ମାଗିଥିଲେ। ତେବେ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ମୁକେଶଙ୍କ ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ଏହାସହ ନିର୍ଭୟା ୪ଦୋଷୀଙ୍କ ସମସ୍ତ ଆଇନ ଓ ସାମ୍ବିଧାନିକ ବିକଳ୍ପ ଶେଷ ହୋଇଯାଇଛି।

ଡିସେମ୍ବର ୧୬, ୨୦୧୨ ରେ ଦକ୍ଷିଣ ଦିଲ୍ଲୀର ଏକ ଚଳନ୍ତା ବସ୍ରେ ୨୩ ବର୍ଷିୟ ଡାକ୍ତରୀ ଛାତ୍ର ନିର୍ଭୟା ଙ୍କୁ ନିର୍ମମ ଭାବେ ବଳାତ୍କାର କରାଯାଇଥିଲା। ସେ ଡିସେମ୍ବର ୨୯, ୨୦୧୨ ରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ।