ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାଟି ହେଉଛି, ଏଠାରେ ଜଣେ ଥାନା ଅଧିକାରୀଙ୍କୁ ଜନ ଆକ୍ରୋଶର ଶୀକାର ହେବାକୁ ପଡିଥିଲା । ମିଳିଥିବା ସୂଚନା ଅନୁଯାୟୀ, ବାଲିଆପାଳ ନିକଟସ୍ଥ ଏକ ଢାବାରୁ ଜଣେ ନାବାଳକର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ନାବାଳକର ପରିବାର ଲୋକମାନେ ଘଟଣାସ୍ଥଳରେ ପହଂଚି ଉକ୍ତ ଢାବାରେ ଭଙ୍ଗାରୁଜା କରିବା ସହ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ।

ଘଟଣାଟି ଘଟିବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଉତ୍ତେଜିତ ସ୍ଥାନୀୟ ଲୋକ ଓ ଅଭିଯୋଗକାରୀଙ୍କୁ ଶାନ୍ତ କରିବାପାଇଁ ଚେଷ୍ଟା କରୁଥିବାବେଳେ ଓଲଟା ପୋଲିସକର୍ମୀମାନେ ଜନ ଆକ୍ରୋଶର ଶୀକାର ହୋଇଥିଲେ । ଦେଖୁ ଦେଖୁ ଘଟଣାଟି ଏଭଳି ବିଗଡିଯାଇଥିଲା ଯେ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ଲୋକମାନେ ଛାଡ଼ିନଥିଲେ ।
ଉତ୍ତେଜିତ ଲୋକମାନେ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଭୁ କଲ୍ୟାଣ ଆଶ୍ଚର୍ଯ୍ୟଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ପିଟିଥିଲେ, ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକର ନାମ ବିଜୟ ଦଳାଇ ଓ ତାଙ୍କ ଘର ହେଉଛି ଉଲୁଡା ଗ୍ରାମ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।