ବିସିସିଆଇ ଡାକରା ପରେ ଋଷଭ ପନ୍ତ ପହଁଚିଲେ ଇଂଲଣ୍ଡ, ତାପରେ ଶିଖର ଧବନ କଲେ ବଡ ଖୁଲାସା

ଋଷଭ ପନ୍ତ ବୁଧବାର ଇଂଲଣ୍ଡରେ ପହଞ୍ଚତ୍ଛନ୍ତି। ତାଙ୍କୁ ବ୍ୟାକ୍‌ଅପ ଖେଳାଳି ଭାବେ ଭାରତୀୟ ଦଳରେ ଯୋଗଦେବା ପାଇଁ ଡାକରା ଦିଆଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଶିଖର ଧାଓ୍ବନ ଭାରତୀୟ ଦଳରୁ ବାଦ୍‌ ପଡ଼ିବେ ନାହିଁ। ସେ ଫିଟ୍‌ ହେବା ପର୍ଯ୍ୟନ୍ତ ଦଳୀୟ ମ୍ୟାନେଜମେଣ୍ଟ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ରିଷଭଙ୍କୁ ଅତିରିକ୍ତ ଷ୍ଟାଣ୍ଡବାଇ ଖେଳାଳି ଭାବେ ଡାକରା ଦିଆଯାଇଛି। ପରବର୍ତ୍ତୀ ଭାଗରେ ଯଦି ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ନ୍ତି ତେବେ ପନ୍ତ ସେଠାରେ ଅଭ୍ୟସ୍ତ ହୋଇସାରିଥିବେ।

ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ପ୍ୟାଟ୍ କମିନ୍ସଙ୍କ ରାଇଜିଂ ବଲ୍‌ ଧାୱନ୍‌ଙ୍କ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଏଥି ପାଇଁ ଧାୱନ ଅଷ୍ଟ୍ରେଲିଆ ବ୍ୟାଟିଂ ବେ‌ଳେ ‌‌‌କ୍ଷେତ୍ରରକ୍ଷଣ କରିପାରିନଥିଲେ। ସମ୍ପୂର୍ଣ୍ଣ ୫୦ ଓଭର ପଡ଼ିଆ ବାହାରେ ବସିବାରୁ ରବୀନ୍ଦ୍ର ଜାଦେଜାଙ୍କୁ କ୍ଷେତ୍ରରକ୍ଷଣ କରିବାକୁ ପଡ଼ିଥିଲା।

ମଙ୍ଗଳବାର ଲିଡ୍‌ସରେ ତାଙ୍କ ଫୁଲା ଆଙ୍ଗୁଠିର ସ୍କାନ୍ କରାଯିବା ପରେ ସାମାନ୍ୟ ଫାଟିଥିବା ସ୍ପଷ୍ଟ ହୋଇଥିଲା। ଯାହାକୁ ସମ୍ପୂର୍ଣ୍ଣ ଠିକ୍ ହେବାକୁ ଅନ୍ୟୁନ ୩ ସପ୍ତାହ ଲାଗିଯିବ ବୋଲି ପ୍ରାରମ୍ଭିକ ରିପୋର୍ଟରୁ କୁହାଯାଇଥିଲା। ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୯ ବଲ୍‌ରୁ ୧୧୭ ରନ୍ କରିଥିଲେ। ଧାୱନଙ୍କ ଅନୁପସ୍ଥିତି ନିଶ୍ଚିତ ଭାରତକୁ ଏହାର ସଫଳତମ ପ୍ରାରମ୍ଭିକ ଯୋଡ଼ିଙ୍କ ବିନା ଖେଳିବାକୁ ବାଧ୍ୟ କରିବ। ଏବେ କିଛି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହିତ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ନିଶ୍ଚିତ।

୩ଟି ପରବର୍ତୀ ବିଶ୍ବକପ୍‌ ମ୍ୟାଚ୍‌ରୁ ବଞ୍ଚିତ ହେବାକୁ ଯାଉଥିବା ଶିଖର ଧାୱନ ବୁଧବାର କହିଛନ୍ତି ‘ମୋ ବିଶ୍ବକପ୍‌ ଅଭିଯାନ ଏବେ ବି ଶେଷ ହୋଇନାହିଁ’। ଟ୍ବିଟର୍ ପୃଷ୍ଠାରେ ଏକ ପ୍ରେରଣାଦାୟୀ କବିତା ସହିତ ଧାୱନ ଏଭଳି ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।

Leave a Reply