ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ରେ କେଉଁ ୪ଟି ଦଳ ସେମିଫାଇନାଲ୍ ଖେଳିବେ ତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର।
ସେ କହିଛନ୍ତି, ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବା ନିଶ୍ଚିତ ଲାଗୁଥିଲାବେଳେ ଚତୁର୍ଥ ଦଳ ଭାବେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ଜଣେ କିଏ ଖେଳିବ ବୋଲି ସେ ମତ ଦେଇଛନ୍ତି। ଭାରତ ଏବଂ ଇଂଲଣ୍ଡ ଗତ କିଛିବର୍ଷ ହେଲା ଏକଦିବସୀୟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତେଣୁ ଏହି ଦୁଇ ଟିମ୍ ସେମିଫାଇନାଲ ଯିବା ଏକପ୍ରକାର ନିଶ୍ଚିତ। ଅଷ୍ଟ୍ରେଲିଆ ଦଳ ମଧ୍ୟ ଗତ କିଛି ସିରିଜ୍ରେ ଲୟକୁ ଫେରିବାରେ ସମର୍ଥ ହୋଇଛି। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଟିମ୍ ଭଲ ପ୍ରଦର୍ଶନ କରୁଛି। ତେଣୁ ସେମିଫାଇନାଲକୁ ଏହି ୪ଟି ଟିମ୍ ଯାଇପାରନ୍ତି ବୋଲି ସଚିନ ଭବିଷ୍ୟବାଣୀ କରିଛନ୍ତି।
ସଚିନ ଜାଣିଛନ୍ତି ଯେ, ପ୍ରତି ଚାରିବର୍ଷରେ ଥରେ ଆସୁଥିବା ଏହି ବିଶ୍ୱକପର ମହତ୍ତ୍ୱ କ’ଣ। ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ କିପରି ପ୍ରସ୍ତୁତ କରିହେବ, ତାହା ମଧ୍ୟ ସଚିନଙ୍କୁ ଜଣା। ତେଣୁ ସଚିନ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆକୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହା ଏକ ଲମ୍ବା ଟୁର୍ଣ୍ଣାମେଣ୍ଟ। ଏହାର ଫର୍ମାଟ୍ ମଧ୍ୟ ନୂଆ।
ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟପୂର୍ଣ୍ଣ ଭାବେ ଚତୁରତାର ସହ ଆଗକୁ ବଢ଼ିବାକୁ ହେବ। ଏହାଛଡ଼ା ନିଜ ଧ୍ୟାନକୁ କେନ୍ଦ୍ରିତ କରିବା ସହ ଧିରେ ଧିରେ ଟୁର୍ଣ୍ଣାମେଣ୍ଟ ପରିସ୍ଥିତି ଅନୁଯାୟୀ ନିଜକୁ ଖାପଖୁଆଇବାକୁ ପଡ଼ିବ। ଯଦି ଏଥିରେ ଆମେ ସଫଳ ହେଉ, ତାହେଲେ ଫଳାଫଳ ଆପେଆପେ ମିଳିଯିବ ବୋଲି ସଚିନ କହିଛନ୍ତି।