ଅନେକ ଜୀବନ ବଞ୍ଚାଇଛନ୍ତି। ହେଲେ ନିଜେ ଏବେ ରକ୍ତ ପାଇଁ ବଞ୍ଚିବାର ରାହା ଖୋଜୁଛନ୍ତି କେନ୍ଦ୍ରପାଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଦଳୀବଣ ଗାଁର ଅନ୍ନଦା ମଳିକ। ରକ୍ତରେ ତାଙ୍କର ହେମୋଗ୍ଲୋବିନ ମାତ୍ରା କମିକମି ଆସୁଛି। ଡାକ୍ତର କହୁଛନ୍ତି ତୁରନ୍ତ ରକ୍ତ ନନେଲେ ଜୀବନ ପ୍ରତି ବିପଦ ରହିଛି। ତେବେ ରକ୍ତ ଦାନ କରିଆସୁଥିବା ୫୨ ବର୍ଷିୟ ଅନ୍ନଦା ଏବେ ରକ୍ତ ଭିକ୍ଷା କରୁଛନ୍ତି। କିଛିଦିନ ତଳେ ଅନ୍ନଦା ଆର୍ଶ ରୋଗରେ ପିଡିତ ହୋଇ ପଡିଥିଲେ। ଅନେକ ଟଙ୍କା ଖର୍ଚ୍ଚ କରି ଅର୍ଶର ଅସ୍ତ୍ରୋପଚାର କରାଇଥିଲେ। ଅର୍ଶ ହେବା ପରଠାରୁ ଅନ୍ନଦାଙ୍କର ପ୍ରଚୁର ରକ୍ତ ପାତ ହୋଇଯାଇଛି ଆଉ ସେ ରକ୍ତହୀନତା ର ଶିକାର ହେଇଛନ୍ତି।
ଅନ୍ନଦା ମଳିକ। ଘର କେନ୍ଦ୍ରପାଡା ଜିଲା କଦଳୀବଣ ଗାଁରେ। ଭୁମୀବିନ ପରିବାରରେ ଜନ୍ମ ହୋଇଥିଲେ ବି ଅନ୍ୟକୁ ସହାୟତା ଦେବାରେ କେବେହେଲେ କାର୍ପର୍ଣ୍ଣ୍ୟ କରିନାହାନ୍ତି। ପିଲାଟି ଦିନରୁ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ଆସିଥିବା ଅନ୍ନଦାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି ସାରା କେନ୍ଦ୍ରାପଡା ଜିଲାରେ। ସେ ଜଣେ ପେଶାରେ ଗଛ ମଣିଷ ଆଉ ନିଶାରେ ରକ୍ତ ଦାତା। ବାଡିବଗିଚାରେ ବିଭିନ୍ନ ଔଷଧୀୟ ବୃକ୍ଷ ସୃଷ୍ଟି କରିବା ସହିତ ବିଭିନ୍ନ ଜାତିର ଫୁଲ ଗଛ ଲଗାଇ ଫୁଲ ଫୁଟାନ୍ତି ନିଜ ବାଡି ବଗିଚାରେ ଓ ସମୟ ମିଳିଲେ ଅନ୍ୟର ବାଡି ବଗିଚାର ମଧ୍ୟ ଜତ୍ନ ନିଅନ୍ତି ସେ। ଜଣେ ସଫଳ ଉଦ୍ୟାନ ବିତ ଭାବରେ ସେ ଯଥେଷ୍ଟ ନା କମେଇ ପାରିଛନ୍ତି। ହେଲେ ତାଙ୍କର ନିଷା ଅଲଗା। ତାଙ୍କୁ ଯେତେ ବେଳେ ୨୧ ବର୍ଷ ବୟସ ହୋଇଥିଲା ସେତେ ବେଳ ଠାରୁ ସେ ଅନ୍ୟକୁ ରକ୍ତଦାନ କରି ବଞ୍ଚେଇବାର ନିଆରା ଆନନ୍ଦ ନେବା ଆରମ୍ଭ କରିଥିଲେ। ବର୍ଷରେ ସେ ୪ ଥର ରକ୍ତଦାନ କରନ୍ତି। ଓଠର ଦାଢି ରଖିବା ଅନ୍ୟ ମାନଙ୍କ ପାଇଁ ସଉକ ହୋଇଥିବା ବେଳେ ଅନ୍ନଦାଙ୍କ ଓଠର ଦାଢି ବଢିଥିବାର ଦେଖିଲେ ତାଙ୍କୁ ଜାଣିଥିବା ଲୋକେ ଭାବନ୍ତି, ଅନ୍ନଦାଙ୍କର ବୋଧହୁଏ ନିକଟରେ ରକ୍ତଦାନ କରିବାର ସମୟ ହେଲାଣି ବୋଲି। ରକ୍ତ ଦାନ କରିବା ପରେ ପରେ ସେ ଓଠର ଦାଢି କାଟି ଦିଅନ୍ତି। ପୁଣି ଦାଢି ବଢି ଚାଲେ। ୩ ମାସ ହେଲା ବେଳକୁ ଅନ୍ନଦା ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା କିମ୍ବା ରକ୍ତ ଭଣ୍ଡାରର ଡାକ୍ତରଙ୍କ ନିକଟକୁ ଖବର ଦିଅନ୍ତି। କୁହନ୍ତି ଦାଢିଟା ଗଲୁ ହେଲାଣି କାରଣ ତାଙ୍କର ବୋଧହୁଏ ରକ୍ତ ଦାନ କରିବାର ସମୟ ହୋଇଗଲାଣି। ଏମିତି ସେ ଜୀବନରେ ୧୪୪ ଥର ରକ୍ତ ଦାନ କରିସାରିଲେଣି। ଏପରରିକି ଅସମୟରେ ଯଦି କେହି ଜୀବନ ମରଣ ସମସ୍ୟାରେ ପଡି ରକ୍ତ ଆବଶ୍ୟକ କରନ୍ତି ତେବେ ମଧ୍ୟ ସେ ଜୀବନ ବଞ୍ଚାଇବାକୁ ଅନ୍ନଦା ରକ୍ତ ଦେବାକୁ ପଛାନ୍ତି ନାହିଁ। ହେଲେ ବିଚିତ୍ର ଏହି ଦୁନିଆ। ଏବେ ରକ୍ତଦାତା ଅନ୍ନଦା ରକ୍ତ ହିନତାରେ ସନ୍ତୁଳି ହେଉଛନ୍ତି। ଦେହରୁ ଅଧିକ ରକ୍ତ ଚାଲିଯିବା ପରେ ଏବେ ନିସ୍ତେଜ। ବଳ ପାଉନି ବିଛଣାରୁ ଉଠିବାକୁ। ମୁଲ ମଜୁରୀ ଲାଗି ଚଳିୁଥିବା ଅନ୍ନଦା ଏବେ ଘରେ ଅଟକି ଯିବାପରେ ଚିକିତ୍ସା ପାଇଁ ପାଖରେ ଅର୍ଥର ଅଭାବ ଦେଖାଦେଇଛି। ଏଣେ ମୁଲ ନ ଲାଗିପାରିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ଚାଳ ଛପର ଝାଟିମାଟିର ଘରେ ଏବେ ଶଜ୍ୟାଶାୟୀ ଅନ୍ନଦା ମଳିକ।
ଅନ୍ନଦାଙ୍କର ଏହି ଅସୁସ୍ଥତାର ଖବର ପାଇ କେନ୍ଦ୍ରପାଡା ଡିଲାପାଳ ଦାସରଥୀ ଶତପଥୀ କଦଳିବଣ ଗାଁର ସେହି ଭଙ୍ଗା କୁଡିଆରେ ପହଞ୍ଚି ଅନ୍ନଦାଙ୍କ ଚିକିତ୍ସା ପାଇଁ ଜିଲା ରେଡକ୍ରସ ପାଣ୍ଠିରୁ ୭ ହଜାର ଟଙ୍କା ଦାନ କରିଛନ୍ତି। ଅନ୍ନଦାଙ୍କର ଏହି ଦୁର୍ଦ୍ଦିନରେ କୌଣସି ବଦାନ୍ୟ ବ୍ୟକ୍ତି ଯଦି ସହାୟତାର ହାତ ବଢାନ୍ତେ ପୁଣି ଅନ୍ନଦା ଶିଘ୍ର ସୁସ୍ଥ ହୋଇ ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସନ୍ତେ।
ଜୀବନରୁ ୩୦ ବର୍ଷ ଧରି ନିଜ ଦେହରୁ ରକ୍ତ ନିଗାଡି ଅନ୍ୟର ଜୀବନ ବଞ୍ଚାଇ ଆସୁଥିବା କେନ୍ଦ୍ରାପଡା ଜିଲା ମଟ୍ଟାମୁଣ୍ଡାଇ ବ୍ଲକର କଦଳୀବଣ ଗାଁର ଅନ୍ନଦା ମଳିକଙ୍କ ଦୁଃଖର କାହାଣୀ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟୟକଙ୍କ ହୃଦୟକୁ ଛୁଇଁଛି। ମୁଖ୍ୟମନ୍ତ୍ରୀ ରାଜ୍ୟ ଜୀବନବିନ୍ଦୁ ପାଣ୍ଠିରୁ ୧୦ ହଜାର ଟଙ୍କା ଅନ୍ନଦାଙ୍କ ଚିକିତ୍ସା ପାଇଁ ପ୍ରେରଣ କରିଛନ୍ତି। ଯେଉଁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ମୁଖ୍ୟ ମନ୍ତ୍ରୀ ଏଇ କେତେ ବର୍ଷ ହେଲା ଆରମ୍ଭ କରିଛନ୍ତି, ହେଲେ ତାହାକୁ ଅନ୍ନଦା ଦିର୍ଘ ୩୦ ବର୍ଷ ଆଗରୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଅଧିକ ପ୍ରଭାବିତ ହୋଇଛନ୍ତି। ଗତ କାଲି ଏହି ଅର୍ଥକୁ କେନ୍ଦ୍ରାପଡା ଜିଲା ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଅନ୍ନଦାଙ୍କ ନିଜ ଗାଁ କଦଳୀବଣରେ ପହଞ୍ଚି ଏହି ସହାୟତା ରାଶିକୁ ପ୍ରଦାନ କରିଛନ୍ତି ବୋଲି ପଟ୍ଟାମୁଣ୍ଡାଇର ବରିଷ୍ଠ ବିଜେଡି ନେତା ଡ. ଗଦାଧର ମଲ୍ଲିକ ସୂଚନା ଦେଇଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି ଯେ ମୁଖ୍ୟମନ୍ତୀ ମଧ୍ୟ କେନ୍ଦ୍ରାପଡା ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନ୍ନଦାଙ୍କର ଉପଯୁକ୍ତ ଚିକିତ୍ସା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ଅନ୍ନଦା କେନ୍ଦ୍ରାପଡା ଜିଲା ଡାକ୍ତରଖାନା ପରିସରରେ ଅନୁଷ୍ଠିକ ଏକ ରକ୍ତଦାନ ଶିବିରରେ ଅନ୍ନଦାଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ପିଡିତ ଅନ୍ନଦା ମଧ୍ୟ ସେଠାରେ ପହଞ୍ଚି ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିବା ଜଣା ପଡିଛି। ଜିଲା ଡାକ୍ତରାଖାନରେ ଅନ୍ନଦାଙ୍କର ଚିକିତ୍ସା କରାଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ଖାଇବା ଆରମ୍ଭ କରିଛନ୍ତି। ୭ ଦିନ ପରେ ରକ୍ତରେ ହେମୋଗ୍ଲୋବିନ ଅଂଶ ନବଢିଲେ ରକ୍ତ ଗ୍ରହଣ କରିବେ ବୋଲି ଅନ୍ନଦା କହିଛନ୍ତି।
ଅନ୍ନଦାଙ୍କର ଆଉ ଏକ ଦୁଃଖ ଯେ ତାଙ୍କ ମୁଖ୍ୟ ପେଶା ବନ୍ଦ ହୋଇଯାଇଛି। ସେ ଜଣେ ବିଶିଷ୍ଟ ମାଳି ଭାବରେ ତାଙ୍କର ଯେଉଁ ବେଉସା ଥିଲା ତାହା ଏବେ ଏସ୍ ଟି ଏଫ୍ ପାଖରେ ବନ୍ଧା ପଡି ଯାଇଛି। ଧାରକରଜ କରି କିଣିଥିବା ଲନ୍ ର ଘାସକଟା ମେସିନ୍ ଟି ଏବେ ଗ୍ୟାଙ୍ଗଷ୍ଟର ଟିଟୋ ପେଟ୍ରୋଲ ପମ୍ପରେ ରହିଯାଇଛି। କେନ୍ଦ୍ରପାଡା ସହରରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋର ବିବାଦିୟ ପେଟ୍ରୋଲ ପମ୍ପ ଏସ୍ ଟି ଏଫ୍ ର ତଦନ୍ତ ସ୍କାନରରେ ରହିଥିବାରୁ ତା ଭିତରେ ଅନ୍ନଦାଙ୍କର ଲନ୍ ଘାସକଟା ମେସିନ ରହିଛି। ଏହି ପେଟ୍ରୋଲ ପମ୍ପ ମଧ୍ୟରେ ଥିବା ଏକ ଲନୁ କୁ ଡ୍ରେସିଂ କରିବାକୁ ଗତ ସେପ୍ଟେମ୍ବର ମାସରେ ଅନ୍ନଦା ମଜୁରୀ ଲାଗିବାକୁ ତାଙ୍କର ଏହି ମେସିନ ଧରି ଯାଇଥିଲେ। ରାତିରେ ମେସିନ ରଖି ଘରକୁ ଆସିଥିଲେ। ରାତି ପାହିଲା ବେଳକୁ ଶୁଣିଲେ ଯେ ଟିଟୋର ପେଟ୍ରୋଲ ପମ୍ପକୁ ଏସ୍ ଟି ଏ ଫ୍ ନିଜ ହେପାଜତକୁ ନେଇଯାଇଛନ୍ତି। ସେବେଠାରୁ ତାଙ୍କର ଏହି ମେସିନ୍ ଟିକୁ ମୁକୁଳାଇାବକୁ ଅନ୍ନଦା ବହୁ ବାବୁ ମାନଙ୍କୁ କହି ସାରିଲେଣି। ମୁକୁଳି ପାରୁନି ତାଙ୍କ ଘାସକଟା ମେସିନ୍। ଦେହ ସୁସ୍ଥ ହେଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ତାଙ୍କ ନିକଟରେ ଏହି ଦୁଃଖ ଜଣାଇବେ ବୋଲି କହିଛନ୍ତି ଅନ୍ନଦା। ଅନ୍ବେଷଣର ଏହି ଡିଜିଟାଲ ମିଡିଆରୁ ଅନ୍ନଦାଙ୍କର ଏହି ଦୁଃଖଦ ସ୍ବାସ୍ଥ୍ୟ ସମସ୍ୟା ଖବର ପାଇ ସାରା ରାଜ୍ୟ ତଥା ରାଜ୍ୟବାହରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମୋବାଇଲରେ ଶହଶହ ଲୋକେ ଆଶିର୍ବାଦ ଦେଉଥିବା କହିଛନ୍ତି ଅନ୍ନଦା। ଅନ୍ବେଷଣ ପକ୍ଷରୁ ଅନ୍ନଦାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନ୍ବେଷଣ ପରିବାର।