#ରକ୍ଷା_ସୂତ୍ର_ଓ_ରକ୍ଷା_ବନ୍ଧନ
●୧● ଶ୍ରାବଣ ମାସ ପୂର୍ଣ୍ଣିମାକୁ ବଳଦେବଙ୍କର ଜନ୍ମତିଥି ମଧ୍ୟ କୁହାଯାଏ। ବଳଦେବଙ୍କର ରାଶି ହେଉଛି “ଶ୍ରବଣା ମକର” । ବିଷ୍ଣୁ ଶୟନ ଏକାଦଶୀ ଠାରୁ ପ୍ରଭୁ ସୁତଳ ଲୋକରେ ବାସ କରିଥାନ୍ତି। ସୁତଳ ଲୋକର ରାଜା ହେଉଛନ୍ତି ବଳି। ଯେହେତୁ ସୁତଳ ଲୋକର ଦ୍ୱାରପାଳ ହିସାବରେ ପ୍ରଭୁ ସେହିଠାରେ ନିବାସ କରୁଥିଲେ, ମା ଲକ୍ଷ୍ମୀ ନାରାୟଣଙ୍କୁ ଫେରାଇ ଆଣିବା ଲାଗି ବଳିଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ।ଏହି ସ୍ମୃତି ରେ ପ୍ରତ୍ୟେକ ରକ୍ଷା ବନ୍ଧନ ଦିନ ମହାଲଷ୍ମୀ ସୁତଳ ରାଜା ବଳିଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧି ଥାନ୍ତି।
●୨● ଜଗନ୍ନାଥ ସଂସ୍କୃତିରେ ଝୁଲଣ ଯାତ୍ରା ବା ଗହ୍ମା ପୂର୍ଣିମା :- ଶ୍ରାବଣ ଶୁଳ୍କ ଦଶମୀ ପାଖରୁ ଭାଦ୍ର କୃଷ୍ଣ ପ୍ରତିପଦା ସାତଦିନ ଧରି ପାଳନ କରାଯାଏ।ଶ୍ରାବଣ ପୂର୍ଣ୍ଣିମା ଦିନ ବଳଭଦ୍ରଙ୍କର ଜନ୍ମଉତ୍ସବ ବା ରାକ୍ଷୀ ଉତ୍ସବ ଶ୍ରୀମନ୍ଦିର ରେ ପାଳନ କରାଯାଏ। ଭବିଷ୍ୟ ପୁରାଣରେ କୁହାଯାଇଛି ଯେ, ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଏହିଦିନ ଦକ୍ଷିଣ ହସ୍ତରେ ଅଭିମନ୍ତ୍ରିତ ରାକ୍ଷୀ ବନ୍ଧନ ଦ୍ଵାରା ମନୁଷ୍ୟ ଏକ ବର୍ଷ ନିମିତ୍ତ ବିପଦରୁ ମୁକ୍ତ ହୋଇଥାଏ।
●୩● ଇନ୍ଦ୍ର ବୁତ୍ରାସୁର ସହ ଯୁଦ୍ଧ କରିବା ପାଇଁ ଗଲାବେଳେ ଇନ୍ଦ୍ରାଣୀ ମଧ୍ୟ ଏହିଦିନ ତାଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧିଥିଲେ।
ତେଣୁ ଏହା କେବଳ ଯେ,
ଭଉଣୀ ଭାଇ ହାତରେ ରାକ୍ଷୀ ବନ୍ଧନ କରିବ ତାହା ନୁହେଁ।
●୪● ସ୍ତ୍ରୀ ମଧ୍ୟ ସ୍ଵାମୀ ହାତରେ ତାହାର ରକ୍ଷା ନିମନ୍ତେ ରାକ୍ଷୀ/ରକ୍ଷା ସୂତ୍ର ବନ୍ଧନ କରିଥାଏ।
●୫● କୁନ୍ତୀ ମଧ୍ୟ କୌରବମାନଙ୍କ ଠାରୁ ପାଣ୍ଡବମାନଙ୍କୁ ରକ୍ଷା କରିବା ପାଇଁ କୃଷ୍ଣଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବନ୍ଧନ କରିଥିଲେ।
●୬● ଗୋପୀମାନେ ବିପତ୍ତିରୁ ରକ୍ଷା ପାଇବା ପାଇଁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବନ୍ଧନ କରିଥିଲେ।
●୭● ବଳଭଦ୍ର ଅସୁରମାନଙ୍କ ସହ ଯୁଦ୍ଧ କରିବା ପାଇଁ ଗଲାବେଳେ ବ୍ରାହ୍ମଣ ଯେଉଁ ଉପବିତ(ପଇତା) ଦେଇଥିଲେ, ତାହାକୁ ମଧ୍ୟ ରକ୍ଷାସୂତ୍ର ଭାବରେ ଗ୍ରହଣ କରାଯାଏ।
ଏହି ସ୍ମୃତିରେ ବ୍ରାହ୍ମଣମାନେ
“ଯେନବଦ୍ଧୋ ବଳିରାଜା ଦାନବେନ୍ଦ୍ର ମହାସୁରଃ ।
ତେନାତ୍ବାମପି ବଧ୍ନାମି ରକ୍ଷମାଂ ଚରମାଚଳ।।”
ମନ୍ତ୍ର ପାଠ କରି ଯଜମାନ ମାନଙ୍କୁ ଦକ୍ଷିଣ ହସ୍ତରେ ରାକ୍ଷୀ ବନ୍ଧନ କରନ୍ତି ଏବଂ ପଇତା ବା ଉପବିତ ପିନ୍ଧାଇଥାନ୍ତି।ଏହିପରି ଭାବରେ ରକ୍ଷାସୂତ୍ର ବା ରକ୍ଷାବନ୍ଧନ ଭାବ, ସ୍ନେହ, ପ୍ରେମର ଏକ ଉଦାହରଣ ସଦୃଶ ।
●୮● ଗହ୍ମପୂର୍ଣିମା ବା ବଳଦେବଙ୍କର ଜନ୍ମ:-
ନୀଳାଦ୍ରୀମହୋଦୟ ମତରେ—
ଚତୁଃସମ ଅର୍ଥାତ ସମାନ ଚାରିଭାଗରେ ଥିବା ଚନ୍ଦନ,କର୍ପୂର,ଚୁଆ ଏବଂ କସ୍ତୁରୀ ବଳଭଦ୍ରଙ୍କ ସର୍ବାଙ୍ଗେ ଲାଗିହୁଏ। ତାପରେ ଅଳଙ୍କାର ଲାଗିହୁଏ। ବୈରାଣୀ ପାଟ ଲାଗିହୁଏ, ତାପରେ ନୂଆ ବସ୍ତ୍ର ମଧ୍ୟ ଲାଗିହୁଏ। ସୁନା ଏବଂ ପାଟ ସୂତାର ରାକ୍ଷୀ ଓ ଗୁଆର ମାଳି, ଏସବୁ ଲାଗି ହୋଇସାରିବା ପରେ ବଳଭଦ୍ରଙ୍କ ସାମ୍ନାରେ ଏକ କଳସ ସ୍ଥାପନ କରଯାଏ।ସେହି କଳସରେ ଷଷ୍ଠୀ ଦେବୀ, ସପ୍ତ ଚିରଞ୍ଜିବୀ ( ମାର୍କଣ୍ଡେୟ, ବଳି,ଅଶ୍ୱଥାମା, ହନୁମାନ, ପର୍ଶୁରାମ, ବୀଭିଷଣ,ବ୍ୟାସ), ଏମାନଙ୍କ ସହିତ ସେହିଦିନର ତିଥି,ରାଶୀ, ନକ୍ଷତ୍ର ଏବଂ ସପ୍ତର୍ଷି ମାନଙ୍କର ମଧ୍ୟ ପୂଜା ହୋଇଥାଏ।
ବାମଦେବ ସଂହିତା ମତରେ—–
କାତ୍ୟାୟନୀ ଷୋଡଶ ଉପଚାରରେ ବଳଦେବଙ୍କର ପୂଜା ହୋଇଥାଏ।ତାହାପରେ ପିତ୍ତଳ ଥାଳି,ପାତ୍ର ସଜ ଆଣି ବଳଦେବଙ୍କର ମଙ୍ଗଳାର୍ପଣ ହୁଏ।ତତ୍ପରେ ତିନି ଦେବତା ଶ୍ରୀଦେବୀ, ଭୁଦେବୀ, ମଦନମୋହନଙ୍କର ବନ୍ଦାପନା ହୋଇଥାଏ। ସେହିଦିନ ଆଜ୍ଞାମାଳ ପାଇବା ପରେ ଦଇତାପତି ମାନେ ସୁଦର୍ଶନଙ୍କୁ ଦୋଳିରେ ବିଜେ କରନ୍ତି।ପାଟପତନି ଏବଂ ଚୂଳଲାଗି ପରେ ସୁଦର୍ଶନଙ୍କୁ ଝୁଲଣ ମଣ୍ଡପକୁ ବିଜେ କରାଇଥାନ୍ତି। ସେହିଠାରେ ତାଙ୍କୁ ସୁବର୍ଣ୍ଣ କମରପଟି ଓ ହରଡ଼ମାଳ ଲାଗି ହୋଇଥାଏ। ତାପରେ ସୁଦର୍ଶନ ପରିକ୍ରମାରେ ଯାଇଥାନ୍ତି ।ସୁଦର୍ଶନ ମାର୍କଣ୍ଡେୟଙ୍କ ନିକଟକୁ ଯାଇ ସେହିଠାରେ ମଣ୍ଡପରେ ବିଜେ କରିବେ।ସେହିଠାରେ ମୃତ୍ତିକାରେ ବଳଭଦ୍ରଙ୍କର ମୂର୍ତ୍ତି ନିର୍ମିତ ହୋଇଥାଏ। ଜୀବନ୍ୟାସ ଆଦି କର୍ମ ଏବଂ ସଂସ୍କାର ହୁଏ, ପ୍ରସାଦ ଲାଗିହୁଏ। ପଂଚ ମଣୋହିରେ ଶୀତଳ ଉପଚାର ମଧ୍ୟ ହୋଇଥାଏ।
●୯● ପାଇକମାନେ ଏହିଦିନ ଯୁଦ୍ଧ ବିଦ୍ୟା ଶିକ୍ଷା ଆରମ୍ଭ କରୁଥିବାର ଉଲ୍ଲେଖ ରହିଛି। ଏକ ଉଚ୍ଚ ସ୍ଥାନରୁ ଡେଉଁ ଥିବାରୁ ଏହାକୁ ଗହ୍ମା ବୋଲି କୁହାଯାଏ। କାରଣ ଉଚ୍ଚସ୍ଥାନକୁ ଗହ୍ମା କୁହାଯାଏ ଏବଂ ଡେଇଁବାକୁ “ଗହ୍ମାଡିଆଁ” ବୋଲି କୁହାଯାଏ।
ରକ୍ଷାବନ୍ଧନ ବା ଗହ୍ମାପୂର୍ଣିମା ଆମ ସଂସ୍କୃତି ଓ ଐତିହର ଏକ ନିଚ୍ଛକ ନିଦର୍ଶନ ଅଟେ।
●୧୦● ଆଗେ କଳିଙ୍ଗ ଉତ୍କଳରେ ଗମ୍ହାପୂର୍ଣିମା (ଗହ୍ମାପୂର୍ଣିମା) ଦିନ ବଳଦେବ ଜୀଉଙ୍କ ବିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବ ଜୀଉ ଦେଉଳରେ ବଳଦେବଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ ।
●୧୧● ଏହି ଦିନ ଗାଈ ଓ ବଳଦ ମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ । ଗହ୍ମା ଶବ୍ଦ ଗାଈ ଶବ୍ଦରୁ ଆସିଛି । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି। ନିଜ ନିଜ ଗୃହରେ ଆଗେ ସମସ୍ତ ଉତ୍କଳୀୟ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖାଇବାକୁ ଦିଆଯାଏ ଏବଂ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖାଯାଏ । ଏହି ଦିନ ଗୋ ( ଗାଭି )ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ ।
●୧୨● ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇବା ଆକାର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ । ସେହି ବଳୀବୃଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗମ୍ହାବେଦୀ ବା ଗହ୍ମାବେଦୀ କହନ୍ତି । ସେହି ଗହ୍ମାବେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି ।
ସର୍ବଶେଷରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । ଏଇ ପରମ୍ପରା ସହିତ ମଧ୍ୟ ଯୋଡ଼ି ହୋଇଛି ମନୋରଞ୍ଜନ ଧର୍ମୀ କ୍ରୀଡ଼ା ଗହ୍ମା ଡିଆଁ |
●୧୩● ଯୋଡ଼ି ହେଲାଣି ରକ୍ଷା ବନ୍ଧନ ପରମ୍ପରା ଭାଇ ଭଉଣୀଙ୍କ ପବିତ୍ର ସଂପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଆମ ତଥାକଥିତ ସମାଜରେ ନାରୀ ସର୍ବଦା ଅବଳା ଓ ଦୁର୍ବଳା ଭାବେ ବିବେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିହାତି ଆବଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ଭାଇ ଭଉଣୀର ଏହି ଅନାବିଳ ପ୍ରେମରୁ ରକ୍ଷା ବନ୍ଧନର ସୃଷ୍ଟି ।ଅନ୍ୟ ଅର୍ଥରେ ଇତିହାସରୁ ଜଣାଯାଏ, ଯୁଦ୍ଧକୁ ଯାଉଥିବା ବୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଏ।
#ଏ_ସୂତା_ସମ୍ପର୍କର_କର୍ତ୍ତବ୍ୟ_ବଦ୍ଧତାର_ପ୍ରେମର_ସୁରକ୍ଷାର_ଓ_ଭରସାର ସେତୁଟିଏ।